ଚାଷୀଙ୍କ ଖାତାକୁ ଆସିବ PM କିଷାନର ୨୪ତମ କିସ୍ତି!

ଚାଷୀଙ୍କ ପାଇଁ ବଡ଼ ଖବର। ଆସନ୍ତାକାଲି ଜାରି ହେବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି। ଦେଶର କୋଟି କୋଟି ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ସିଧାସଳଖ ଅର୍ଥରାଶି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁଜୁରାଟର ବନାସକାଣ୍ଠାଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରୁ ଏହି କିସ୍ତି ଜାରି କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି କିସ୍ତିରେ ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଯୋଗ୍ୟ ଚାଷୀ ଉପକୃତ ହେବାକୁ ଥିବା ବେଳେ ସେମାନଙ୍କ ଖାତାକୁ ୭୦୦ କୋଟିରୁ ଅଧିକ ଟଙ୍କା ପଠାଯିବାର ସୂଚନା ରହିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ପରିସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପିଏମ୍ କିଷାନ ଯୋଜନା ଅଧୀନରେ ଯୋଗ୍ୟ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିଥାଏ। ଏହି ଅର୍ଥ ତିନୋଟି କିସ୍ତିରେ, ପ୍ରତି ଚାରି ମାସରେ ୨ ହଜାର ଟଙ୍କା ଲେଖାଏଁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଏ। ଏହି ଅର୍ଥ ଚାଷୀଙ୍କୁ କୃଷି କାର୍ଯ୍ୟ ଓ ଚାଷ ସମ୍ବନ୍ଧୀୟ ଆବଶ୍ୟକତା ପୂରଣରେ ସହାୟତା କରିଥାଏ।

ତେବେ ସମସ୍ତ ଚାଷୀଙ୍କ ଖାତାକୁ ଟଙ୍କା ଆସିବା ନିଶ୍ଚିତ ନୁହେଁ। ଯେଉଁ ହିତାଧିକାରୀଙ୍କ e-KYC ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି, ଆଧାର ସହ ବ୍ୟାଙ୍କ ଖାତାର ତଥ୍ୟ ମେଳ ଖାଉନାହିଁ କିମ୍ବା ଜମି ସମ୍ବନ୍ଧୀୟ ରେକର୍ଡରେ ତ୍ରୁଟି ରହିଛି, ସେମାନଙ୍କ କିସ୍ତି ଅଟକି ଯାଇପାରେ। ତେଣୁ ଚାଷୀମାନେ ନିଜର e-KYC ସ୍ଥିତି, ଆଧାର ଲିଙ୍କ୍ ହୋଇଥିବା ବ୍ୟାଙ୍କ ଖାତା ଓ ଜମି ରେକର୍ଡ ଯାଞ୍ଚ କରିନେବା ଜରୁରୀ।

ଏବେ ଚାଷୀଙ୍କ ମନରେ ଗୋଟିଏ ପ୍ରଶ୍ନ—କେବେ ଓ କେତେବେଳେ ଖାତାକୁ ଆସିବ ୨ ହଜାର ଟଙ୍କା? ଆପଣ ମଧ୍ୟ ପିଏମ୍ କିଷାନ ଯୋଜନାର ହିତାଧିକାରୀ ହୋଇଥିଲେ ନିଜର ଯୋଗ୍ୟତା ଓ କିସ୍ତି ସ୍ଥିତି ଯାଞ୍ଚ କରନ୍ତୁ।